ବିମାନ ଯାତ୍ରୀଙ୍କ ପାଇଁ ବଡ଼ ଖବର ! ୨୦୨୭ରୁ ବଦଳିବ ଟିକେଟ୍ ବୁକିଂ ନିୟମ

ବିମାନ ଯାତ୍ରୀଙ୍କ ପାଇଁ ବଡ଼ ଖବର । ଏଣିକି ବିମାନ ଟିକେଟ୍ ବୁକ୍ କରିବା ସମୟରେ ଭଡ଼ା ଓ ଅନ୍ୟାନ୍ୟ ଶୁଳ୍କକୁ ନେଇ ରହିବନି କୌଣସି ଦ୍ୱନ୍ଦ୍ୱ । ଟିକେଟ୍ ବାତିଲ୍ କଲେ କେତେ ଟଙ୍କା କଟିବ ଏବଂ କେତେ ଟଙ୍କା ଫେରସ୍ତ ମିଳିବ, ତାହା ମଧ୍ୟ ଆଗୁଆ ଜାଣିପାରିବେ ଯାତ୍ରୀ । ଏଥିପାଇଁ କେନ୍ଦ୍ର ସରକାର ନୂଆ ବିମାନ ନିୟମ ଆଣିଛନ୍ତି । ୨୦୨୭ ଜାନୁଆରୀ ୧ରୁ ଏହି ନିୟମ ଲାଗୁ ହେବା ନେଇ ସୂଚନା ଜାରି କରାଯାଇଛି ।

ନୂଆ ନିୟମ ଅନୁଯାୟୀ, ବିମାନ କମ୍ପାନୀଗୁଡ଼ିକୁ ନିଜ ୱେବସାଇଟ୍ ଏବଂ ଅନ୍ୟ ବୁକିଂ ପ୍ଲାଟଫର୍ମରେ ଟିକେଟର ମୋଟ ମୂଲ୍ୟ ସହ ସମସ୍ତ ଶୁଳ୍କର ବିସ୍ତୃତ ବିବରଣୀ ଦେବାକୁ ପଡ଼ିବ । ଅର୍ଥାତ୍ ଟିକେଟର ମୂଳ ଭଡ଼ା, ଟ୍ୟାକ୍ସ, ଅନ୍ୟାନ୍ୟ ଫିସ୍ ଏବଂ ଅତିରିକ୍ତ ଶୁଳ୍କ କେତେ ରହିଛି, ତାହା ସ୍ପଷ୍ଟ ଭାବେ ଦର୍ଶାଇବାକୁ ହେବ । ଟିକେଟ୍ ବୁକିଂ ପରେ ମିଳୁଥିବା ଟିକେଟରେ ମଧ୍ୟ ଏହି ସବୁ ତଥ୍ୟ ଉଲ୍ଲେଖ ରହିବ । ସେହିପରି ଟିକେଟ୍ ବାତିଲ୍ କରିବା ସମୟରେ କେତେ ଟଙ୍କା କ୍ୟାନ୍ସଲେସନ୍ ଚାର୍ଜ ଭାବେ କଟିବ ଏବଂ ଯାତ୍ରୀଙ୍କୁ କେତେ ଟଙ୍କା ରିଫଣ୍ଡ ମିଳିବ, ତାହାର ସର୍ତ୍ତ ମଧ୍ୟ ସ୍ପଷ୍ଟ କରିବାକୁ ହେବ । ଫଳରେ ଟିକେଟ୍ ବୁକ୍ କରିବା ପୂର୍ବରୁ ଯାତ୍ରୀମାନେ ନିଜର ମୋଟ ଖର୍ଚ୍ଚ ଜାଣିପାରିବେ । ଏହାଦ୍ୱାରା ଅତିରିକ୍ତ ଶୁଳ୍କକୁ ନେଇ ଯାତ୍ରୀଙ୍କ ମଧ୍ୟରେ ରହୁଥିବା ଦ୍ୱନ୍ଦ୍ୱ ଦୂର ହେବ ।

ଅନ୍ୟପଟେ, ନୂଆ ନିୟମରେ ବିମାନ ଭଡ଼ା ଉପରେ ସରକାରଙ୍କ ହସ୍ତକ୍ଷେପ ପାଇଁ ମଧ୍ୟ ବ୍ୟବସ୍ଥା ରହିଛି । ଅସାଧାରଣ ପରିସ୍ଥିତିରେ ଜନସ୍ୱାର୍ଥକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଲିଖିତ ଆଦେଶ ଜରିଆରେ ବିମାନ ଭଡ଼ା ସମ୍ପର୍କରେ ନିର୍ଦ୍ଦେଶ ଦେଇପାରିବେ । ଏହାସହ ବିମାନ କମ୍ପାନୀଗୁଡ଼ିକର ଭଡ଼ା ଓ ଶୁଳ୍କ ଉପରେ DGCA ନଜର ରଖିବ । ସୂଚନାଯୋଗ୍ୟ, ଅକ୍ଟୋବର ୩୧ରେ ସରକାର ଭାରତୀୟ ବିମାନ ନିୟମ, ୨୦୨୬ ଅଧିସୂଚିତ କରିଛନ୍ତି । ପ୍ରାୟ ୯୦ ବର୍ଷ ପୁରୁଣା ବିମାନ ଆଇନର ସ୍ଥାନରେ ଏହି ନୂଆ ବ୍ୟବସ୍ଥା ଆସିଛି । ୨୦୨୭ ଜାନୁଆରୀ ୧ରୁ ଏହା କାର୍ଯ୍ୟକାରୀ ହେବ । ତେବେ ନୂଆ ନିୟମ ଲାଗୁ ହେବା ପରେ ବିମାନ ଟିକେଟ୍ ବୁକିଂ ଅଧିକ ସ୍ୱଚ୍ଛ ହେବା ସହ ଯାତ୍ରୀଙ୍କୁ ନିଜ ଖର୍ଚ୍ଚ ଓ ରିଫଣ୍ଡ ବିଷୟରେ ସ୍ପଷ୍ଟ ଧାରଣା ମିଳିବ ।

Leave a Reply

Your email address will not be published. Required fields are marked *