
ଆସନ୍ତା ୨୨ରେ ପୁଣି ଲଘୁଚାପ । ବଢ଼ିପାରେ ବର୍ଷାର ପ୍ରକୋପ । ଓଡ଼ିଶା ପାଇଁ ପୁଣି ଆସୁଛି ବର୍ଷାର ବଡ଼ ସଙ୍କେତ । ପାଣିପାଗ ବିଭାଗର ଆକଳନ ଅନୁସାରେ, ସେପ୍ଟେମ୍ବର ୨୦ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗର ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରି ୨୨ ତାରିଖ ବେଳକୁ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ର ଉପକୂଳ ନିକଟରେ ପହଞ୍ଚିପାରେ । ପରେ ଏହା ଲଘୁଚାପର ରୂପ ନେବାର ସମ୍ଭାବନା ରହିଛି । ତେବେ ଏହି ଲଘୁଚାପ କେତେ ଶକ୍ତିଶାଳୀ ହେବ ଏବଂ କେଉଁ ଅଞ୍ଚଳରେ ଅଧିକ ବର୍ଷା କରାଇବ, ତାହା ଏବେ ସ୍ପଷ୍ଟ ହୋଇନାହିଁ । ଏପଟେ ରାଜ୍ୟରେ ବର୍ଷା ଜାରି ରହିଛି । ଆଜି ୧୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । କେନ୍ଦୁଝର, ମୟୂରଭଞ୍ଜ, ରାୟଗଡ଼ା, କୋରାପୁଟ ଓ ଗଜପତିରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।
